Unknown

 

 

 

 

 

 

 

 

 

 

ଆଶା ସ୍ଵପ୍ନ

ଶ୍ରୀ ଚନ୍ଦ୍ରଚୂଡ଼ାମଣି ରାଜା ହରିଚନ୍ଦନ ଜଗଦ୍ଦେବ

 

ଆଶା ସ୍ଵପ୍ନ

 

ପଥକ୍ଳାନ୍ତ ପଥିକର କେବେ ଯାତ୍ରା ଶେଷ,

କେବେ ହେବ ଅବସାନ ଦୁଃଖ କଷ୍ଟ କ୍ଳେଶ ।

କେବେ ଏ ଜୀବନବ୍ରତ ହେବ ଉଦ୍‍ଯାପିତ,

ପଞ୍ଚଭୂତ ପଞ୍ଚଭୂତେ ହେବ ସ˚ମିଶ୍ରିତ ।

ବାସନା କାମନା-ବାୟୁ କେବେ ହେବ ସ୍ଥିର,

ହୃଦୟ-ସାଗର ମୋର କେବେ ହେବ ଧୀର ।

କେବେ ବା ପଞ୍ଜରୀଦ୍ଵାର ଫେଡ଼ି ଫୁଲ୍ଲମନେ,

ଯେ ବନ ପକ୍ଷୀ ମୁଁ, ଉଡ଼ି ଯିବି ସେହି ବନେ ।

ସନ୍ତରି ନୈରାଶ୍ୟ-ସ୍ରୋତେ ପଡ଼ିଲିଣି ଥକି,

କେତେ କାଳ ହୋଇଥିବି ଭ୍ରାନ୍ତିର ଗହକୀ ।

କର୍ମକୋଳାହଳମୟ ଭବ-ରଙ୍ଗସ୍ଥଳେ

ଯାତ୍ରା ଦେଖିବାକୁ ଆଉ ମାନସ ନ ବଳେ ।

କାହିଁକି କେଜାଣି ଆତ୍ମା କରେ ହାହାକାର,

ଶାନ୍ତ କଲେ ଶାନ୍ତ ନୋହି କରେ ଅତ୍ୟାଚାର ।

ଯେଉଁ ଆଡ଼େ ଦେଖେଁ ହାସ୍ୟ ମଧ୍ୟରେ କ୍ରନ୍ଦନ,

ଆଲୋକ ମଧ୍ୟରେ ଦେଖେଁ ଅନ୍ଧକାର ଘନ ।

ଧରଣୀ ଗଗନ ସିନ୍ଧୁ ସକଳ ଅନନ୍ତ,

ଅନନ୍ତ ମଧ୍ୟରେ ବୁଡ଼ି ନ ପାଏଁ ମୁଁ ଅନ୍ତ ।

ଅନନ୍ତତ୍ୱ-ଉଚ୍ଚଭିତ୍ତି କରି ଅତିକ୍ରମ

ଆତ୍ମପ୍ରକାଶରେ ଆତ୍ମା ଏକାନ୍ତ ଅକ୍ଷମ ।

ସୁଖ ସୁଖ ବୋଲି ସଦା ଉଠୁଛି ଚିତ୍କାର,

ସୁଖ ନାମେ ଅଭିହିତ ଦୁଃଖର ବିକାର ।

ସାରରୂପେ ଆଭାସେ ସେ ଅସାର ସର୍ବଥା,

ସୁଖ ଭୋଗ ଅଶ୍ୱତ୍‍ଥାମା ଦୁଗ୍ଧପାନ ଯଥା । (୧)

ସଂସାର ଯା ନାମ ସେ ତ ମାୟାର ଆନାୟ (୨)

ପଡ଼ି ତହିଁ ଛଟ ପଟ ଜୀବ ମୀନ ପ୍ରାୟ ।

କୁହୁକିନୀ ଆଶା କେତେ ଦେଖାଏ କୁହୁକ,

ଜନ ମନ ଭୁଲାଣିଆ ବିଚିତ୍ର କୌତୁକ ।

ଯାମିନୀ ବାର୍ଦ୍ଧକ୍ୟେ ଦିନେ ଦେଖିଲି ସ୍ଵପନେ,

ଜ୍ୟୋତିଃରୂପା ନାରୀ ଏକ ବିଜେ ମୋ ସଦନେ ।

ଅଦେହୀ ସେ ମାତ୍ର ଦିଶେ ସୁନ୍ଦରୁ ସୁନ୍ଦର,

ସୌନ୍ଦର୍ଯ୍ୟ ପ୍ରଭାରେ ହେଲା ଆଗାର ଭାସ୍ଵର ।

ଜ୍ୟୋତିଃ-ବସନରେ ଢଙ୍କା ଜ୍ୟୋତିଃ-ଅବୟବ,

ଜ୍ୟୋତିର ଭୂଷଣ ସୃଜେ ଜ୍ୟୋତିର ଉତ୍ସବ ।

ସ୍ନେହବୋଳା ହାସ୍ୟମୁଖେ ସମ୍ବୋଧି ମଧୁରେ

ଭାଷିଲେ, ରେ ବତ୍ସ, ଝୁରୁ କିମ୍ପା ତୁ ଆତୁରେ ।

ଆକର୍ଷେ ତୈଲୋକ୍ୟ ଚିତ୍ତ ମୋହୋର ଏ ମୂର୍ତ୍ତି,

ମୁମୂର୍ଷୁ ପ୍ରାଣରେ ଆଣେ ଯନ୍ତ୍ରଣା ବିସ୍ମୃତ ।

ଘେନ ମୋ ଆଶ୍ରୟ ହେବ ସୁସ୍ଥ ତୋର ମନ,

ହେଲି ଆବିର୍ଭୂତା ମୁହିଁ ଦେଖି ତୋ କଷଣ ।

ସଂମୋହ-ମୁକୁରେ ମୋର ଦେଖିଲେ ତୁ ମୁଖ,

ମୁହୂର୍ତ୍ତକେ ବିସୋରିବୁ ସବୁ ଶୋକ ଦୁଃଖ ।

ଆସ ମୋ ସଙ୍ଗରେ କିଛି ନ ବିଚାରି ଆନ,

ଦେଖାଇବି ତୋତେ ମୋର ମୋହନ ଉଦ୍ୟାନ ।

ଶୁଣି ଆଶାମିଶା ଭାଷା ହୋଇ ମୁଁ ଆଶାୟୀ

କଲି ତହୁଁ କାର୍ଯ୍ୟ ତାଙ୍କ ଆଜ୍ଞା ଅନୁଯାୟୀ ।

ସୁଶିକ୍ଷା ପଶ୍ଚାତେ ଚାଲେ ବିନୟ ଯେସନ,

ତେସନ ତାଙ୍କର କଲି ମୁଁ ଅନୁଗମନ ।

କିଛି କ୍ଷଣ ଅନ୍ତେ ଖଣ୍ଡେ ସ୍ଵର୍ଣ୍ଣଭୂମି ପରେ

ମିଳିଲୁଁ ଉଭୟେ ଏକ ସ୍ଵର୍ଣ୍ଣ ଉଦ୍ୟାନରେ ।

ସୁବର୍ଣ୍ଣର ବୃକ୍ଷେ ତହିଁ ଦିଶନ୍ତି ଉଜ୍ଜ୍ୱଳ,

ସୁବର୍ଣ୍ଣ ବେଦୀରେ ଶୋଭେ ପ୍ରତି ବୃକ୍ଷତଳ ।

ସୁବର୍ଣ୍ଣ ମଞ୍ଚାରେ ଘଞ୍ଚେ ମାଡ଼ି ସ୍ଵର୍ଣ୍ଣଲତା

କହୁଛି ନୀରବେ ପାନ୍ଥେ ହାସ୍ୟୋଜ୍ଜ୍ୱଳ କଥା ।

କୁଞ୍ଜେ କୁଞ୍ଜେ ରାବୁଛନ୍ତି ସୁକଣ୍ଠ ବିହଙ୍ଗେ,

କ୍ରୀଡ଼ୁଛନ୍ତି ରତ୍ନଶୃଙ୍ଗ କନକ କୁରଙ୍ଗେ ।

ଅମୃତ ଆଧୁରୀ ପତ୍ରେ ହୁଏ ଢଳଢଳ,

ଅକାଳେ କୋକିଳ ରାବେ ପୂର୍ଣ୍ଣ ବନସ୍ଥଳ ।

ଶୋଭାରେ ନନ୍ଦନବନେ ଅର୍ପେ ଅପମାନ,

ହରିନିଏ କ୍ଷୁଧା ତୃଷା ଚିନ୍ତା ସେ ଉଦ୍ୟାନ ।

ମାତ୍ର ଏକ ମହାଶ୍ଚର୍ଯ୍ୟ ଦେଖିଲି ସେଠାରେ,

ଫୁଲ ଫୁଟେ ନାହିଁ କେଉଁ ବୃକ୍ଷ ବା ଲତାରେ ।

କଢ଼ବେଳୁ ଶୁଖିଯାଇ ଝଡ଼ିପଡ଼େ ତଳେ,

ତରୁ ଲତା ଭାର ଖାଲି ବହନ୍ତି ବିଫଳେ ।

ଫୁଟୋନ୍ମୁଖ ହୁଏ ଯଦି ଦୈବେ କଢ଼ି ଏକ,

ସେହି ଦଣ୍ଡେ ଦୁଷ୍ଟ କୀଟେ କାଟନ୍ତି ତା ବେକ ।

ମଧୁପାନ ଆଶେ ଅଳି ଉଡ଼ି ଉଡ଼ି ବନେ

ଫେରିଯାଏ ଦୀର୍ଘଶ୍ଵାସ ତେଜ ଶୂନ୍ୟମନେ ।

ପାରିଧି ଆଶାରେ ତହିଁ ଭ୍ରମନ୍ତି କିରାତେ,

କେହି ଜାଲ କେହି ଧନୁଶର ଧରି ହାତେ ।

ଭେଦୁଛି ଶିକାର ଦେହେ ଅସ୍ତ୍ର ଯଥା ତଥା,

ମାତ୍ର ସେ ନ ମରେ ତହିଁ, କି ଅଦ୍ଭୁତ କଥା !

ଜାଲେ ବଦ୍ଧ ହେଉଛନ୍ତି ବିହଙ୍ଗମଗୁଡ଼ି,

ଧରିବାବେଳକୁ ଖରେ ଯାଉଛନ୍ତି ଉଡ଼ି ।

ଦେଖି ଦେଖି ଏହି ଦୃଶ୍ୟ ମୁଗ୍ଧ ସ୍ତବ୍ଧ ମନେ

ଉପସ୍ଥିତ ହେଲି ଯାଇ ଅନ୍ୟ ଉପବନେ ।

ସେ ବନେ ହୀରକ ବୃକ୍ଷେ ପଦ୍ମରାଗ ଡାଳ,

ବୈଦୁର୍ଯ୍ୟର ପତ୍ର, ଶିରା ମୁକୁତା ପ୍ରବାଳ ।

ବଢ଼ାଉଛି ଜ୍ୟୋତ୍ସ୍ନା, ତାର ବହୁଗୁଣ ପ୍ରଭା,

ଅନୁକରେ କି ସେ କୋଟି ଇନ୍ଦ୍ରଧନୁ ସଭା ।

ଉଦ୍ୟାନରୁ ଶୋଭାଧାର ପଡ଼ୁଛି ନିଗିଡ଼ି,

ଶୋଭା-ସ୍ଵପ୍ନ-ରାଜ୍ୟୁ ପରା ପଡ଼ିଛି ସେ ଛିଡ଼ି ।

ବହୁ ରତ୍ନବର୍ଣ୍ଣ ଫୁଲ ଫୁଟିଛି ତହିଁରେ,

ମାତ୍ର ନାହିଁ ତିଳେ ମାତ୍ର ବାସନା କାହିଁରେ ।

ତୋଳନ୍ତି ବାଳକେ ଫୁଲ ବୁଲି ନାନାଠାବେ,

ଦଳି ଫିଙ୍ଗି ଦେଉଛନ୍ତି ବାସନା ଅଭାବେ ।

ବହୁଛି ଉଦ୍ୟାନକଣ୍ଠେ ଜ୍ୟୋତିଃ-ତରଙ୍ଗିଣୀ,

ହସୁଛି ତହିଁରେ ଭାସି କୋଟି କମଳିନୀ ।

ସନ୍ତରି ସୁବର୍ଣ୍ଣ ହଂସେ ମାରି ତହିଁ ଥଣ୍ଟ

ପୃଷ୍ଟର ନ ପାଇ ଭୋକେ ହୋନ୍ତି ଛଟପଟ ।

ମୋହି ପାରେ ମନେ ବନ, ନେଇ ପାରେ କିଣି,

ଆନ କଥା ଥାଉ ପାରେ ଦେବ ମନ ଜିଣି ।

ହେଉ ପଛେ ବ୍ୟର୍ଥ ସ୍ଵପ୍ନ ହେଉ ପଛେ ମିଛ,

ମାତ୍ର ସେ ମଧୁର ଅତି ସୁନ୍ଦର ଅପିଚ ।

କେବଳ ସ୍ଵପନେ ନୂହେ ମଧୁର ତା ମୂର୍ତ୍ତି,

ଜାଗ୍ରତେ ମଧୁର ସୁଦ୍ଧା ତାର କ୍ଷଣସ୍ମୃତି

ତହିଁପଛେ ରୌପ୍ୟଭୂମି ଦିଶେ ମନୋଲୋଭା,

ବିସ୍ତୀରିଛି କେତେ ନେତ୍ରବିଲୋଭିନୀ ଶୋଭା ।

ମଧ୍ୟେ ବିରାଜିତ ଏକ ରଜତ ଉଦ୍ୟାନ,

ରଜତ୍ଵ ପାଦପେ ନମ୍ର ହୋଇ ଫଳବାନ ।

ଅଧିକାଂଶ ଫଳ କଞ୍ଚା ପକ୍ଵ ଅଳ୍ପମାତ୍ର,

ଚଢ଼ି ହୁଏ ନାହିଁ ବୃକ୍ଷେ ଖସରା ତା ଗାତ୍ର ।

ଭୁଞ୍ଜୁଛନ୍ତି ପକ୍ଵ ଫଳ ଉଦ୍ୟାନ ଖେଚରେ,

ଝଡ଼ାଫଳ ଉପଭୋଗ୍ୟ ମାନବ ଭାଗ୍ୟରେ ।

ପାର୍ଶ୍ଵସ୍ଥ ପ୍ରାନ୍ତରେ ଖେଳେ ମୃଗତୃଷ୍ଣା ରଙ୍ଗେ,

ଜଳଭ୍ରମେ ପ୍ରଧାରନ୍ତି ତା ପଛେ କୁରଙ୍ଗେ ।

ଦେଖିଲି ଉଦ୍ୟାନେ ପୁଣି ଏକ ଅଘଟଣ,

ଏକ ବୃକ୍ଷ ଆନ ଫଳ କରନ୍ତି ଧାରଣ ।

ଆମ୍ରବୃକ୍ଷେ ଆମ୍ରାତକ ଅଛି ତହିଁ ଫଳି,

ବିଶାଳ ପଣସ ଫଳେ ଆନତ କଦଳୀ ।

ଜାମୁଗଛେ ବରକୋଳି, ବେଲରେ କଇଥ,

ସବୁ ଗଛେ ଏହିପରି ଫଳ ବିପରୀତ ।

ଛାଡ଼େ ମହାନରେ ଘନ ଗର୍ଜନ ନିର୍ଘାତ,

କେତେବେଳେ ହୁଏ ନାହିଁ ମାତ୍ର ବିନ୍ଦୁପାତ ।

ତହିଁ ପରେ ପ୍ରବେଶିଲି ଅନ୍ୟ ଉପବନେ,

ଅପଟୁ ଭାରତୀ ମୁଖ ତା ଶୋଭା ବର୍ଣ୍ଣନେ ।

ନ ହୁଅନ୍ତି ଅସ୍ତ ତହୁଁ କେବେ ଶଶଧର,

ସବୁବେଳେ ବନ ଚାରୁ-ଚନ୍ଦ୍ରିକା-ଭାସ୍ଵର ।

ସୁରଭି ବାସନ୍ତୀ ବାୟୁ ବହେ ଅବିରତ,

କୋକିଳ ପଞ୍ଚମ ସ୍ୱର ଅଳାପେ ନିରତ ।

ବସନ୍ତବିଭବେ ପୂର୍ଣ୍ଣ ସେ ରମ୍ୟ ଉଦ୍ୟାନ,

ବସନ୍ତରାଜାର ପ୍ରିୟ ବିଳାସ ଆସ୍ଥାନ ।

ଉଭା ରତ୍ନବୃକ୍ଷେ ହୋଇ ଛନ୍ଦାଛନ୍ଦି ଡାଳ,

ମୂଳେ ମଣିମୁକ୍ତାଖଚୀ ଶୋହେ ଆଳବାଳ ।

ନବ କିଶଳୟ ରୂପ ବିଦ୍ରୁମ ଚାମରେ

ବିଞ୍ଚନ୍ତି ପାଦପେ ସଦା ନୃପ-ଋତୁବରେ ।

ଉଦ୍ୟାନର ଚଉପାଶେ ସ୍ଫଟିକ ପ୍ରାଚୀର,

ବିବିଧ ଚିତ୍ରରେ ତାହା ଦିଶଇ ରୁଚିର ।

ଉଦ୍ୟାନର ତରୁଲତା ତହିଁ ପ୍ରତିଫଳି

ଦିଶେ ଅତି ଶୋଭାବନ ଚିତ୍ରୋଦ୍ୟାନ ଭଳି ।

ଜ୍ୟୋତିଃ-ଲତା ନାଚୁଛନ୍ତି ଧୀର ବାତେ ଥରି,

ଉଦ୍ୟାନ ନୁହେ ସେ ଆହା ଅପ୍ସରା ନଗରୀ ।

ଦେଖିଲି ସେଠାରେ ପୁଣି ଅପୂର୍ବ ଭେଳିକି,

ରହିଛି ଉଦ୍ୟାନ ଶୂନ୍ୟେ ନ ଲାଗି ଭୂମିକି ।

ଉଦ୍ୟାନ ମଧ୍ୟରେ ସ୍ଥିତ ବିଚିତ୍ର ପର୍ବତ ,

ମୁକୁଟ ଅକାରେ ଶୋଭେ ଶୃଙ୍ଗ ଶତ ଶତ ।

ବିରାଟ ଆକୃତି ତାର ଦେଖି ମାଡ଼େ ଭୟ,

ତାହା ତୁଳନାରେ ହେବ ଶିଶୁ ହିମାଳୟ ।

ବୃକ୍ଷଲତାପରିଶୂନ୍ୟ ସେହି ସାନୁମାନ,

ଅପାଦଶିଖର ବନ୍ଧା ହୋଇଛି ସୋପାନ ।

ବହୁରତ୍ନ ବିଜଡ଼ିତ ପ୍ରତି ପଦବୀରେ,

ସେଭଳି ଉଜ୍ଜ୍ୱଳ ରତ୍ନ ନାହିଁ ପୃଥିବୀରେ ।

ଚଢ଼ିବା ସହଜ, ପାନ୍ଥ ଉଠେ ଧାଇଁ ଧାଇଁ,

ମାତ୍ର ଯେତେ ଚାଲି ଚାଲି ବାଟ ସରେ ନାହିଁ ।

କ୍ଷଣେ କ୍ଷଣେ ଭିନ୍ନ ରୂପ ଧରେ ଗିରିବର,

ଆକର୍ଷେ ସୂଷମା-ସୂତ୍ରେ ନେତ୍ରେ ମାନବର ।

ଜଳ ନାହିଁ, ଫଳ ନାହିଁ, ବଳହୀନ ପାଦେ

ଭ୍ରମିଣ ନିସ୍ତେଜ ପାନ୍ଥ ହୁଏ ଅବସାଦେ ।

ନାହିଁ ତହିଁ ବାୟୁ ବିନା ଅପର ଆହାର୍ଯ୍ୟ,

କିବା ତାହା ନିଷ୍ପାରଣା ଏକାଦଶୀ ରାଜ୍ୟ ।

ଶୋଭାରେ ତ କେଉଁ କାଳେ ପୂରେ ନାହିଁ ପେଟ,

ଫେରି ଆସେ ଦୁଃଖେ ପାନ୍ଥ କରି ମଥା ହେଟ ।

ବହୁ ଲୋକ ଧରାଧରି ହୋଇ ତହିଁ ହାତ

ହେଉଛନ୍ତି ସବୁବେଳେ ଖରେ ଯାତାୟାତ ।

ସେ ପର୍ବତଶିରୁ ବହି ଅସେ ଏକ ନଦୀ,

ହିମାଦ୍ରି ଶିଖରୁ ଯଥା ବହେ ବିଷ୍ଣୁପଦୀ ।

ଜଳ ନାହିଁ ସେ ନଦୀରେ କେବଳ କୁହୁଡ଼ି,

ଧୂମ୍ରସ୍ରୋତେ ଦୁଇ କୂଳ ଯାଇଅଛି ବୁଡ଼ି ।

ପୂର୍ଣ୍ଣ ହୋଇଛନ୍ତି ଜନେ ନଦୀ ବେନି ପାଶେ,

ଡେଇଁପଡ଼ୁଛନ୍ତି କେତେ ସନ୍ତରଣ ଆଶେ ।

ଫଳେ ଭଗ୍ନ ହେଉଅଛି କଟି ହସ୍ତ ପଦ,

ଫେରି ଆସୁଛନ୍ତି ଉୁଞ୍ଜି ଦାରୁଣ ବିପଦ ।

ସମ୍ମୁଖେ ବିସ୍ତୃତ ରୁଦ୍ର ଅନନ୍ତ ସାଗର,

ଗର୍ଜୁଛି ଗମ୍ଭୀରେ ତୋଳି ବୀଚୀ ଭୟଙ୍କର ।

ନଭେ ବିହଙ୍ଗମ ପ୍ରାୟ ଅସଂଖ୍ୟ ବୋଇତ,

ଅଲକ୍ଷିତେ ଇତସ୍ତତଃ ହେଉଛି ଧାବିତ ।

ଦୂରେ ଚାଲିଯାଏ କେହି ଘେନିଣ ମନୁଷ୍ୟ,

ବହୁ ଦୂରେ ଯାଇ ଶେଷେ ଦେଉଛି ଅଦୃଶ୍ୟ ।

ଝାଟିକାବର୍ତ୍ତରେ ପଡ଼ି ଯାଉଛି କେ ବୁଡ଼ି ,

ଧାଇଁଅଛି ଭିନ୍ନ ଦିଗେ କେହି ପଥ ହୁଡ଼ି ।

ତରଙ୍ଗ ଆଘାତେ କେତେ ହୋଇ ଅର୍ଦ୍ଧଭଗ୍ନ

ହେଉଅଛି କଷ୍ଟେ ଆସି କୂଳରେ ସଂଲଗ୍ନ ।

ଆହତ ଆରୋହୀ କରେ କରୁଣେ ଚିତ୍କାର,

ଅଧିରେ ହୃତସ୍ୱ ଛାଡ଼େ ଆର୍ତ୍ତ ହାହାକାର ।

କେହିବା ସଂଗ୍ରହି ରତ୍ନ ନିରାପଦେ ଆସେ,

ଆନନ୍ଦେ ସଫଳ ହାସ ବଦନେ ପ୍ରକାଶେ ।

ପାଖେ ପାଖେ କ୍ଷୁଦ୍ର ନାବ ବୁଲୁଅଛି କେତେ,

ତାହାର ଆପଦ ମାତ୍ର ହେଉ ନାହିଁ ତେତେ ।

ପୂର୍ଣ୍ଣ କରି ଉଦର ସେ ହୀରକ ମତ୍ସ୍ୟରେ

ଫେରି ଆସୁଅଛି, ତୀରେ ତୁଷ୍ଟି ଲଭି ଖରେ ।

ଚିରତରଙ୍ଗିଳ ସିନ୍ଧୁ ନୁହେ କେବେ ସ୍ଥିର,

ବୀଚୀ ପରେ ବୀଚୀ ଆସି ପିଟେ ତଟେ ଶିର ।

ଉଗାରେ ତରଙ୍ଗ ଫେନ ମସ୍ତକ ହଲାଇ,

ଫେନ ସହ ନିଜେ ଯାଏ ମୁହୂର୍ତ୍ତେ ମିଳାଇ ।

ଉପବୀଚୀ ପ୍ରାୟ ଭୀମ ତିମି ତିମିଙ୍ଗିଳେ,

ଭାସୁଛନ୍ତି ମହାପୁଚ୍ଛ ସଞ୍ଚାଳି କୁଟିଳେ ।

ସନ୍ତରୁ ସନ୍ତରୁ ଅତି ସାହସିକ ନରେ

ପଡ଼ୁଛନ୍ତି ସେମାନଙ୍କ ଭୀଷଣ ଗ୍ରାସରେ ।

ନିରେଖି ଏ ଦୃଶ୍ୟ ଭୟେ ବୁଜିଲି ମୁଁ ଚକ୍ଷୁ,

ଉଠିଲା ସଘନେ ତୀବ୍ର ସ୍ପନ୍ଦନ ମୋ ବକ୍ଷୁ !

ମୁହୂର୍ତ୍ତକ ପରେ ଚାହିଁ ହେଲି ମୁଁ ଚକିତ,

ଯାଇଅଛି ମାୟା-ସିନ୍ଧୁ ହୋଇ ଅନ୍ତର୍ହିତ ।

ସିନ୍ଧୁଗର୍ଭେ ଭାସୁଥିଲା ଯେଠାବେ ତରଣୀ,

ତହିଁ ଏବେ ଶ୍ରେଣୀ ଶ୍ରେଣୀ ବିରାଜେ ବିପଣୀ ।

ଜଗତର ପଣ୍ୟଦ୍ରବ୍ୟ ସବୁ ତହିଁ ଭରା,

ପୂର୍ଣ୍ଣ ସବୁ, ଖାଲି ନାହିଁ ଗୋଟିଏ ପସରା ।

ମାତ୍ର ଏହି ବଜାରର ଧାରା ବିପରୀତ,

ବିନା ପଣେ ପଣ୍ୟ ଏଥି ହୁଅଇ ବିକ୍ରୀତ ।

ଇଚ୍ଛାମତେ ଗହକିଏ ନେଉଛନ୍ତି ବହି,

କାହାରିକି କେହି କିଛି ବଚନ ନ କହି ।

ଅବିରତ ନେଉଛନ୍ତି ବହି ଦ୍ରବ୍ୟମାନ,

ରଖିଲା ବେଳକୁ ଘରେ ହେଉଅଛି ଆନ ।

କେହି ନେଇଥିଲା ସ୍ୱର୍ଣ୍ଣ, ହେଲା ସେ ପିତଳ,

କାହାର ମାଣିକ୍ୟ ରତ୍ନ ହେଲ ଗୁଞ୍ଜଫଳ ।

କେହି ନାରିକେଳ ଭାଙ୍ଗି ହୁଏ ବଡ଼ ଖପା,

ନାହିଁ ତା ଭିତରେ କିଛି ଖାଲି ତାହା ଫମ୍ପା ।

କାହାର ଆନୀତ ଧାନ୍ୟ ହୋଇଛି ଚାଉଳ,

ଅଦୃଷ୍ଟ ସମ୍ବଳ ଏକା ଅଦୃଷ୍ଟହିଁ ମୂଳ ।

ଅତିଲୋଭୀ ପୂରାଉଛି ଶସ୍ୟ ପୁଣି ପୁଣି,

ଯେତେ ପୂରାଇଲେ ମାତ୍ର ପୂରୁ ନାହିଁ ମୁଣି ।

ବହୁ ଯୁଗ ପୂର୍ଣ୍ଣ କରେ ଅଞ୍ଜଳି ଅଞ୍ଜଳି,

ତଥାପି ଅପୂର୍ଣ୍ଣ ତାର ବିଶ୍ଵଗ୍ରାସୀ ଥଳି ।

ଅବାରିତ ସେ ବଜାର, ସେଠାରେ ଅଭାବ–

ଦରିଦ୍ର ତାରକ ମନ୍ତ୍ର ଦିଅ ଦିଅ ରାବ ।

ଏତେ ପାଇ ତେବେ ସୁଦ୍ଧା ପୂରୁ ନାହିଁ ପେଟ,

ସନ୍ତୋଷ ସଙ୍ଗରେ କାର ହେଉ ନାହିଁ ଭେଟ ।

ପ୍ରାପ୍ତ ପ୍ରତାରିତ ବେନି ତହିଁ ବାରମ୍ବାର

କରୁଛନ୍ତି ଯାତାୟାତ ତେଜି ତୃଷାହାର ।

ପ୍ରାପ୍ତି ପ୍ରତ୍ୟାଶାରୁ କେହି ନ ହୁଏ ନିବୃତ୍ତ,

ପିଅନ୍ତି ସଙ୍କଳ୍ପେ ସର୍ବେ ଆକାଙ୍କ୍ଷା-ଅମୃତ ।

ଭାଙ୍ଗୁ ନାହିଁ କେତେବେଳେ ବଜାରୁ ଗହଳି,

ମାତ୍ର ନାହିଁ କୋଳାହଳ କିମ୍ଵା ଦ୍ୱେଷ କଳି ।

ଶିଶୁ ଯୁବା ପ୍ରୌଢ଼ ବୃଦ୍ଧ ରୁଣ୍ଡ ତହିଁ ସର୍ବେ ,

ବିଶେଷେ ଅଛନ୍ତି ସୁଦ୍ଧା ମୁର୍ମୂଷୁ ମାନବେ ।

ବେଢ଼ିଛନ୍ତି ଚଉପାଶୁ ଦୋକାନେ ସର୍ବଦା,

ନବାତଚକିକୁ ଯଥା ବେଢ଼ିଥାନ୍ତି ଜନ୍ଦା ।

କିମ୍ବା ଯଥା ବେଢ଼ିଥାନ୍ତି ଶବକୁ ଶାଗୁଣା,

ଲାଳସାରେ ନୁହେ କେହି କାହାରିକି ଊଣା ।

ଅନନ୍ତର ତହୁଁ ଯାଇ ଅତ୍ୟଳ୍ପ ସମୟେ,

ପ୍ରବେଶିଲି ଦେବୀ ସଙ୍ଗେ ଏକ ରଙ୍ଗାଳୟେ ।

ରାଣୀ ବେଶ ଧରି ତହିଁ ଅଭିନେତା ଜଣେ

ଉପବିଷ୍ଟ ଆଭାମୟ ରତ୍ନ ସିଂହାସନେ ।

ଉଛୁଳି ଉଠୁଛି ମୁଖେ ଗୌରବ ଗରିମା,

ପ୍ରାଣବତୀ ହୋଇଛି ବା କନକ ପ୍ରତିମା ।

ଆବୃତ ମହାର୍ହ ବସ୍ତ୍ରେ ଚାରୁ ଅବୟବ,

ଦିବ୍ୟ ଅଳଙ୍କାର ସୂଚେ ଅତୁଳ ବିଭବ ।

ଛିନ୍ନବସ୍ତ୍ରପରିହିତା ବୃଦ୍ଧା ନାରୀ ଏକ,

ଆସିଲା ସତ୍ୱର ଧରି ଉିକାରୁଣୀ ଭେକ ।

ଧରିଛି ମୃଣ୍ମୟ କ୍ଷୁଦ୍ର ଭିକ୍ଷାପାତ୍ର ହାତେ,

କହିଲା ବିନୟ ବାକ୍ୟେ ରଣୀଙ୍କ ସାକ୍ଷାତେ ।

ଏ ଦୀନା ଅନାଥା ପ୍ରତି କରୁଣା ଆଚରି

ଦିଅ ମାତଃ ଭକ୍ଷା ଏହି ପାତ୍ର ପୂର୍ଣ୍ଣ କରି ।

ରାଣୀଙ୍କ ଆଦେଶେ ତହିଁ ମୁଦୁସୁଲୀଗଣ

ଭିକ୍ଷା ଆଣି ପାତ୍ରେ ତାର କଲେକ ଅର୍ପଣ ।

ମାତ୍ର ନ ପୂରିଲା ପାତ୍ର ପୁଣି ଦେଲେ ତୂର୍ଣ୍ଣ,

ତଥାପି ସେ କ୍ଷୁଦ୍ରପାତ୍ର ନ ହେଲା ସମ୍ପୂର୍ଣ୍ଣ ।

କହିଲା ସେ ଭିଖାରୁଣୀ ରାଣୀ ମୁଖ ଚାହିଁ,

ନ ପୂରିଲେ ମାତ୍ର ମୁହିଁ ଭିକ୍ଷା ନେବି ନାହିଁ ।

ଏଡ଼େ ବଡ଼ ରାଣୀ ହୋଇ ଥାଳଖଣ୍ଡି ମୋର

ନ ପାରିବେ ପୂର୍ଣ୍ଣ କରି, ଏ ତ ଲଜ୍ଜା ଘୋର ।

ପୂର୍ଣ୍ଣ କରିବାକୁ ତହୁଁ ଆଦେଶିଲେ ରାଣୀ ,

ବହୁ ଦ୍ରବ୍ୟ ଦେଲେ ଦାସୀ ଗନ୍ତାଘରୁ ଆଣି ।

ଦ୍ରବ୍ୟ ବହି ବହି ହେଲେ ହାଲିଆ ସର୍ବଥା,

ତେବେ ଅସମ୍ପୂର୍ଣ୍ଣ, ପାତ୍ର, କି ଅଦ୍ଭୁତ କଥା !

ଥିଲା ଯେତେ ଧନ ଧାନ୍ୟ ସମଗ୍ର ନଗରେ,

ଦେଲେ ନାଗରିକେ ଆଣି ସବୁ ସେ ପାତ୍ରରେ ।

ତେବେ ସୁଦ୍ଧା ଅର୍ଦ୍ଧ ପୁର୍ଣ୍ଣ ନ ହେଲା ସେ ପାତ୍ର,

ବିସ୍ମୟରେ ହେଲେ ସର୍ବେ ଲୋମାଞ୍ଚିତଗାତ୍ର ।

ଲାଗିଲାକ ଲୋକଙ୍କର କଳ୍ପନା ଜଳ୍ପନା,

ଇନ୍ଦ୍ରଜାଲ ବୋଲି ସର୍ବେ କଲେ ସମ୍ଭାବନା ।

ପରିଶେଷେ ଦେଲେ ରାଣୀ ମୁଠେ ଭସ୍ମଧୂଳି,

ତହୁଁ ପାତ୍ର ପୂର୍ଣ୍ଣ ହୋଇ ପଡ଼ିଲା ଉଛୁଳି ।

ପୂର୍ଣ୍ଣ ହେଲା ପୂର୍ଣ୍ଣ ହେକ ବୋଲି ବୃଦ୍ଧା ନାରୀ

ଭିକ୍ଷାପାତ୍ର ଧରି ଗଲା ସତ୍ୱର ବାହାରି ।

ଶେଷ ହେଲା ଅଭିନୟ ଗମିଲେ କେ କାହିଁ,

ଦେଖିଳି ମୁଁ ଦେବୀ ଭିନ୍ନ କେହି କେଣେ ନାହିଁ ।

ପୁଛିଲି ଦେବୀଙ୍କି ବହୁ ପ୍ରକାଶି ବିନୟ,

କିଏ ତୁମ୍ଭେ ଦିଅ ମୋତେ ଆତ୍ମପରିଚୟ ।

ଯେ ବିଚିତ୍ର ଦୃଶ୍ୟରାଜି ଦେଖାଇଲ ମାତଃ,

ବୁଝି ନ ପାରିଲି ମୁହିଁ କିଛିହିଁ ତାହା ତ ।

କୃପା ବହି କହ ଦେବୀ, ତୁଟୁ ମୋ ସନ୍ଦେହ,

ପ୍ରକାଶ ମା ଦୀନ ପୁତ୍ର ପ୍ରତି ମାତୃସ୍ନେହ ।

ତହୁଁ ସେ ଅପରିଚିତା ଭାଷିଲେ ସସ୍ମିତେ,

ଶୁଣ ବତ୍ସ, ପଚାରିଲୁ ଯାହା ହୃଷ୍ଟଚିତ୍ତେ ।

ମୋହୋ ନାମ “ଅଶା’’, ମୋର ସର୍ବ ଘଟେ ବାସ,

ସକଳ ମାନବେ ସଦା ମୋ ପୟରେ ଦାସ ।

ଦେଖିଲୁ ଯେ ଦୃଶ୍ୟ ସେ ମୋ ମାୟା ଉପବନ,

ତୋତେ ଦେଖାଇବାପାଇଁ କଲି ତା ସୃଜନ ।

ଆବର ଦେଖିଲୁ ତୁହି ଯେବଣ ସାଗର,

ନୁହଇ ବାସ୍ତବ ତାହା, ଭ୍ରାନ୍ତି-ରତ୍ନାକର ।

ବିପଣୀରୂପରେ ପରେ ଦେଖିଲୁ ତୁ ଯାହା,

ନରନେତ୍ର ଆଗୋଚର ଆଶାରାଜ୍ୟ ତାହା ।

ଧରିଥଲି ଭିଖାରୁଣୀ ରୂପେ ଯେଉଁ ଥାଳ,

ଆଶାଭାଣ୍ଡ ତାହା ନାମ, ଶୂନ୍ୟ ଚିରକାଳ ।

ଯେତେ ଦେଲେ ନ ପୂରେ ତା ଉଦର ପ୍ରକାଣ୍ଡ,

ନୈରାଶ୍ୟ-ପାଉଁଶେ ମାତ୍ର ପୂରି ଉଠେ ଭାଣ୍ଡ ।

ସୁଖ ପରି ମୋର ସୁଦ୍ଧା ନାହିଁ ସମ୍ପୂର୍ଣ୍ଣତା

ଅନନ୍ତେ ନିବାସ ମୋର ଅନନ୍ତ କ୍ଷମତା ।

ନାହାନ୍ତି ଯାହାର କେହି ମୁଁ ଏକା ତାହାର,

ଅନାଥବାନ୍ଧବୀ ମୁହିଁ କୃପାପାରବାର ।

ଧରେ ଜନସେବା ବ୍ରତ ଅଖଣ୍ଡ ଅକ୍ଷୟ,

ଦୁଃଖୀ ବିପନ୍ନର ମୁହିଁ ଏକାନ୍ତ ଆଶ୍ରୟ ।

ନ ଡାକଇ କେହି ମୋତେ ନ ଦିଏ ସମ୍ପଦ,

ବଳେ ବଳେ ସେବେ ମୁହିଁ ସମସ୍ତଙ୍କ ପଦ ।

ତଡ଼ିଦେଲେ ସୁଦ୍ଧା ମୋର ନାହିଁ ଅପମାନ,

କାର୍ଯ୍ୟ ମୋର ପ୍ରାଣପ୍ରିୟ, ଅପ୍ରିୟ ସମ୍ମାନ ।

କରି ପାରେଁ ନିମିଷେ ମୁଁ ନିଷ୍ପୃହକୁ ସ୍ପୃହୀ,

କରି ପାରେଁ ଅବହେଳେ ବାନପ୍ରସ୍ଥେ ଗୃହୀ ।

ସମଦର୍ଶୀ ମୁଁ, ନ ଗଣେ ଇତର ବିଶେଷ,

ଦୟାଦାନେ ନ କରେଁ ମୁଁ କୃପଣତା ଲେଶ ।

ବ୍ୟଥା ବେଦନାଦି ସଦା ହରେଁ ମାନବର,

ନିସ୍ତରଙ୍ଗ ମୋ ବିନା ତା ହୃଦୟ-ସାଗର ।

ସଂସାରେ ଶୃଙ୍ଗଳାବଦ୍ଧ ଅଟେ ମୋର କାର୍ଯ୍ୟ,

ମୋ ବିନା ସଂସାର ହେବ ବୈରାଗ୍ୟର ରାଜ୍ୟ ।

ପୋଛିଦିଏଁ ଅଶ୍ରୁ ମୁହିଁ ଶୋକାତୁର ନେତ୍ରୁ,

ତଡ଼ିଦେଇ ବର୍ତ୍ତମାନେ ତା ହୃଦୟ-କ୍ଷେତ୍ରୁ ।

କଳ୍ପନାର ସୁଖମୟ ଭବଷ୍ୟତେ ଆଣି

ଖେଳାଏଁ ତା ହୃଦେ, କେହି ନ ପାରନ୍ତି ଜାଣି ।

ସ୍ୱପ୍ନ-ସଖି ନିଦ୍ରାକାଳେ କରେ ରାଜପଣ,

ମାତ୍ର ମୁଁ ଦେଖାଏଁ ଦିନେ ଜାଗ୍ରତ ସ୍ୱପନ ।

ମୋ ମାୟାରେ ଗାଏ ନର ସାଫଲ୍ୟ-ସଙ୍ଗୀତ,

ମୋହୋଯୋଗୁଁ ହୁଏ ଗୁଣୀ ଆତ୍ମପ୍ରତାରିତ ।

ବାହନ କରି ସେ ମୋତେ ଖେଳେ ସୁଖେ ବୁଲି,

ଯାହାପାଇଁ ଆସିଅଛି ଯାଏ ତାହା ଭୁଲି ।

ଅନ୍ତିମ ନିଶ୍ଵାସ ନର ନ ତେଜିବାଯାଏଁ,

କେତେବେଳେ ତାହା ପ୍ରାଣୁ ଛାଡ଼ି ମୁଁ ନ ଯାଏଁ ।

ମୁମୂର୍ଷୁର ପ୍ରାଣେ କରେଁ ମଧୁର କୌତୁକ,

ହେଉ ପଛେ ଭ୍ରାନ୍ତି ତାହା କିମ୍ବା ଅହେତୁକ ।

ଭାବେ ସେ, “ମୁଁ ବୈଦ୍ୟ ଡାକି ମହୌଷଧି ସେବି

ଦୁଇ ଚାରି ଦିନ ମଧ୍ୟେଁ ନିରାମୟ ହେବି ।

ଯେ ଉପାୟେ ହେଉ ଖଣ୍ଡେ କରିବି ଚାକିରି,

ସୁଖରେ କାଟିବି ଦିନ ବାହୁଡ଼ିବ ଶିରୀ ।

ସଞ୍ଚୟ ଅଧିକ ହେଲେ ଛାଡ଼ି ଦେଇ ତାହା

ଧରିବି ତେଣିକି ଆନ କ୍ରମୋନ୍ନତି ରାହା ।

ଚାକିରି ତ ଦାସତ୍ୱର ନିଗଡ଼ ଶୃଙ୍ଖଳ,

ନ ଭାଙ୍ଗିଲେ ବଳେ ତାହା କାହିଁଛି ମଙ୍ଗଳ ।

ଚାକିରି ପୟରେ ଦେଇ ଜୀବନକୁ ବିକି

ହରାନ୍ତି ନିଜସ୍ୱ ଜନେ କେଜାଣି କାହିଁକି ?

ବୃଥା ନଷ୍ଟ ହୁଏ ତହିଁ ମନୀଷା ପ୍ରତିଭା,

ଭଜେ ମଳିନତା ପୁଣି ଶକ୍ତି-ବହ୍ନି-ବିଭା ।

ଦେହ ମନ ଆତ୍ମା ତହିଁ ନ ଲଭେ ବିକାଶ,

ପୌରୁଷ ଅଧ୍ୟବସାୟ କରେ ସେ ବିନାଶ ।

ଚାକିରିକି କେନ୍ଦ୍ର କରି ନିର୍ଦ୍ଧିଷ୍ଟ ସୀମାରେ

ଘୂରେ ଆଜୀବନ ନର ନ ଉଲ୍ଲଙ୍ଘି ଗାରେ ।

ଦାସତ୍ୱର ପଦରଜେ କାଟି ଶିରେ ଚିତା,

ବାଢ଼େ ଯେ ବଡ଼ାଇ ତାର ପ୍ରକୃତି ଘୃଣିତା ।

ବିଶ୍ୱ କର୍ମକ୍ଷେତ୍ର ଅଗ୍ରେ ରହିଛି ବିସ୍ତୃତ,

ଅନନ୍ତ ମାଣିକ୍ୟ ରତ୍ନେ ହୋଇ ଅଳଙ୍କୃତ ।

ନ କରି ସଂଗ୍ରହ ତାହା, ଦାସତ୍ୱେ ଆନନ୍ଦ

ଯେ ମଣେ ସେ ଅଚତୁର ଚକ୍ଷୁ ସତ୍ତ୍ୱେ ଅନ୍ଧ ।

ବିଶ୍ୱର ଗୋଟିଏ ରେଣୁ କୋଟି ମୁକ୍ତା ସରି,

ବ୍ୟୟେ ତାହା ପରିବୃଦ୍ଧି ଲଭେ ବିଦ୍ୟା ପରି ।

ଧନ-ଭୃତ୍ୟଠାରୁ ସୁଖୀ ସ୍ଵାବଲମ୍ବି-ଦୀନ,

ସ୍ଵାବଲମ୍ବେ ଦୀପ୍ତ ହୁଏ ପ୍ରାଣ ଅନୁଦିନ ।

ଧରି ମୁହିଁ ସଦା ଆତ୍ମ-ନିର୍ଭରତା ଦୀକ୍ଷା

କରିବି ଜୀବନ-ଯୁଦ୍ଧେ ସ୍ଵବଳ ପରୀକ୍ଷା ।

ଯଥାଶକ୍ତି ସମ୍ପାଦିବି ପରହିତ ବ୍ରତ,

ସତ୍କର୍ମରେ କାୟ ମନ ଅର୍ପିବି ସତତ ।

ଦୁଃଖୀ ନେତ୍ରୁ ପୋଛି ଦେଇ ତପ୍ତ ଅଶ୍ରୁଧାରା,

କରିବି ପବିତ୍ର ହସ୍ତ, ହରିବି ତା ଭାରା ।

କରିବ ମୁଁ ରୋଗୀ ସେବା ନ ବହିଣ ଘୃଣା,

ସେ ମୂଲ୍ୟେ କିଣିବି ହାଦେ* ପ୍ରଭୁଙ୍କ କରୁଣା !

ସ୍ୱଦେଶ ସେବାରେ ଶକ୍ତି କରିବି ମୁଁ କ୍ଷୟ,

ସମାଜର ହିତ ମୋର ହେବ ମୁଖ୍ୟ ଲୟ ।

ମାତୃମହୀ ଶତ ସ୍ୱର୍ଗୁ ବଳି ଗୌରବିନୀ,

ଶତ ଗଙ୍ଗାଠାରୁ ଶ୍ରେଷ୍ଠ ସ୍ଵଦେଶ ତଟିନୀ ।

ଦେଶ-ଦେବା-ପୁଣ୍ୟ-ଯଜ୍ଞେ ନ ଲାଗେ ଯେ ହାତ,

ହାତ ନୁହେ–ଅର୍ଦ୍ଧଦଗ୍ଧ ଅଙ୍ଗାର ତାହା ତ ।

ଲାଗେ ନାହିଁ ଯେଉଁ ଧନ ଦେଶ ଉପକାରେ,

ଶ୍ମଶାନ ଭସ୍ମ ସେ ଲଗେ ନାହିଁ ବ୍ୟବହାରେ ।

ଜୀବନ ଶରୀର ଧନ ନଶ୍ୱର ସର୍ବଥା,

ରହେ ନାହିଁ କିଛି, ଖାଲି ରହିଯାଏ କଥା ।

ବିଜୁଳି ବିକାଶ ପ୍ରାୟ ସୁଖ ତ ସ୍ଵଳ୍ପାୟୁ,

ମହାଶୂନ୍ୟେ ମିଶିଯିବ ଦିନେ ପ୍ରାଣବାୟୁ ।

ଯିବାବେଳେ ନିଜ ଦେହ ସଙ୍ଗେ ଯିବ ନାହିଁ,

ଆତ୍ମୀୟ ସ୍ଵଜନେ ସର୍ବେ ରହିବେ କେ କାହିଁ ।

ଏକମାତ୍ର ଶେଷ ସଙ୍ଗୀ ଧର୍ମ ଏ ସଂସାରେ,

ସେହି ଏକା ଆଶା-ଦୀପ ଘୋର ନିରାଶାରେ ।

ଦୁଃଖେ ଶୋକେ ମାନବର ଧର୍ମ ଏକା ସାହା,

ଅଜ୍ଞାତ ରାଜ୍ୟର ଶେଷେ ଦେଖାଏ ସେ ରାହା ।

ଧର୍ମରେ ଚଳୁଛି ସୃଷ୍ଟି, ସତ୍ୟୁ ଧର୍ମ ଜାତ,

ଧର୍ମେ ଚନ୍ଦ୍ର ସୂର୍ଯ୍ୟ ହୁଏ ନଭେ ଆତଯାତ ।

ପ୍ରାଣପଣେ ଧର୍ମପଦେ ଆଶ୍ରା ଯେ କରିଛି,

ସଂସାରେ ବିପଦ ଭୀତି ନାହିଁ ତାର କିଛି ।

ଭବ-ସାଗରର ଧର୍ମ ସୁବର୍ଣ୍ଣ ତରଣୀ,

ପ୍ରକୃତ ଧନୀ ସେ, ଯେହୁ ଧର୍ମ-ଧନେ ଧନୀ ।

ଚିର ହାହାମୟ ପ୍ରାଣେ ଧର୍ମହିଁ ସାନ୍ତ୍ୱନା,

ଧର୍ମ ବିନା ମାନବର ପ୍ରାଣ ବିଡ଼ମ୍ବନା ।

ଯାତନା-ବିଦଗ୍ଧ ହୃଦେ ଧର୍ମ ଶାନ୍ତିବାରି,

କରିଦିଏ ଧର୍ମ ତପ୍ତ ବୈତରଣୀ ପାରି ।

ସାଧିବି ପାର୍ଥିବ କାର୍ଯ୍ୟ ଧର୍ମେ ଅର୍ପି ମନ,

କ୍ଷେପିବି ଆନନ୍ଦେ ମୁହିଁ ପଶ୍ଚିମ ଜୀବନ ।''

ଅନ୍ତିମ ଶଯ୍ୟାରେ ଶୋଇ ମୁର୍ମୂଷୁ ଏସନ

ମନେ ମନେ ଆଶା-ବନ୍ଧ ବାନ୍ଧେ ଅଗଣନ ।

କେତେ ମୁଁ କହିବି ଆଉ ନିଜର ମହିମା,

କାଳେ କାଳେ ବର୍ଣ୍ଣୁଥିଲେ ନ ମିଳିବ ସୀମା ।

ଭବ-ଅନ୍ଧକୂପେ ନର ଘୂରେ ଅନ୍ଧବତ,

ହାତ ଧରି ମୁହିଁ ତାକୁ ଦେଖାଉଛି ପଥ ।

ମୋତେ ଆଶ୍ରା କରି ବତ୍ସ ତେଜ ଚିନ୍ତା ତାପ,

କର୍ମକ୍ଷେତ୍ରେ କର୍ମ ଧର୍ମ, କର୍ମତ୍ୟାଗ ପାପ ।

ଏହା ଭାଷି ଅଶାଦେବୀ ହେଲେ ଅନ୍ତର୍ହିତ,

ତୁଟିଗଲା ସ୍ଵପ୍ନ, ହେଲି ଶଯ୍ୟାରୁ ଉଥିତ ।

ଯାଉ ସ୍ୱପ୍ନ କଥା, ଅଶା ଜାଗ୍ରତରେ ସୁଦ୍ଧା

ପିଆଉଛି କେତେ ଆଣି ବିଷମିଶା ସୁଧା ।

କହୁଛି ନୀରବେ କାନେ ଉବ୍ଦୀପନା ଭାଷା,

ମାତ୍ର କାହିଁ ତୃପ୍ତ ନୁହେ ମୋ ପ୍ରାଣପିପାସା ।

ଶୁଣି ଶୁଣି ଅଶା ମୁଖୁଁ ଭୁଲାଣିଆ କଥା

ଅବସାଦେ କର୍ଣ୍ଣ ବେନି ଭଜିଲାଣି ବ୍ୟଥା ।

ଭାବିଲେ ନିବିଷ୍ଟଚିତ୍ତେ ଅଶାର ରହସ୍ୟ

କେତବେଳେ କାନ୍ଦ ମାଡ଼େ କେବେ ମାଡ଼େ ହସ !

 

(୧) ବାଲ୍ୟାବସ୍ଥାରେ ଅଶ୍ୱତ୍‍ଥାମା ଦୁଗ୍ଧ ଜ୍ଞାନରେ ପିଠଉପାଣି ପିଇଥିଲେ ।

(୨) ମାଛଧରା ଜାଲ ।

* ଅକ୍ଳେଶରେ ।

Image